Unknown

 

 

 

 

 

 

 

 

ଉତ୍କଳ ଲକ୍ଷ୍ମୀ

ସ୍ୱଭାବକବି ଗଙ୍ଗାଧର ମେହର

 

ଭୂମିକା

‘‘ଉତ୍କଳ ଲକ୍ଷ୍ମୀ’’ ଅସମ୍ପୂର୍ଣ୍ଣରୂପେ ୧୮୯୪ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା । ବିଂଶତି ବର୍ଷ ପରେ ଆଜି ସେ ପୂର୍ଣ୍ଣାଙ୍ଗିନୀ ହେଲା । ପୁରାତନ ଅଂଶରେ ସାମାନ୍ୟ ପରିବର୍ତ୍ତନ ହୋଇଅଛି । ନୂତନ ଅଂଶରେ ଉଲ୍ଲେଖ ହୋଇଥିବା କେତକ ପର୍ବତାଦିର ନାମ ଗନଜାତ ଗଜଟିଅରରୁ ଜାଣିବାକୁ ହୋଇଅଛି ଏବଂ ଟୀକାରେ ଥିବା ପର୍ବତମାନଙ୍କର ଉଚ୍ଚତା ମଧ୍ୟ ତାହା ସାହାର୍ଯ୍ୟରେ ଲିଖିତ । ତହିଁ ନିମନ୍ତେ ଉକ୍ତ ଗେଜେଟିଅରକର୍ତ୍ତାଙ୍କ ନିକଟରେ ଲେଖକ କୃତଜ୍ଞ ।

 

ସ୍ୱଦେଶପ୍ରେମିକ ସାହିତ୍ୟରସିକ ଉଦୀୟମାନ ସୁଲେଖକ ଶ୍ରୀମାନ୍‌ ବ୍ରଜମୋହନ ପଣ୍ଡା ଏହି ପୁସ୍ତିକାକୁ ପୂର୍ଣ୍ଣ କରିବା ନିମନ୍ତେ ଯେଉଁ ଉତ୍ସାହ ଦେଇଅଛନ୍ତି, ତାହା ଲେଖକ ପକ୍ଷରେ ଅତି ଦୁର୍ଲଭ ଅଟେ । ସେ ତାଙ୍କର ଜ୍ୟେଷ୍ଠ ଭ୍ରାତା ଶୀମାନ୍‌ ମଧୁସୂଦନ ପଣ୍ଡାଙ୍କ ସହିତ ଏହାର ପ୍ରକାଶଭାର ଗ୍ରହଣ କରିବାଦ୍ୱାରା ଲେଖକଙ୍କୁ ବନ୍ଧନ କରିଥିବାର କୃତଜ୍ଞତା –ରଜ୍ଜୁ ଉପରେ ଜଳସେଚନ କରିଅଛନ୍ତି । ଏହି କ୍ଷୁଦ୍ର ପୁସ୍ତିକା ସ୍ୱଦେଶବାସୀଙ୍କର ଅଣୁମାତ୍ର ଅନୁରାଗର ପାତ୍ରୀ ହେଲେ ଲେଖକ କୃତାର୍ଥମ୍ମନ୍ୟ ।

 

ବିଜେପୁର

।।ଇତି।।

ତା ୧୧।୯।୧୯୧୪

ଶ୍ରୀ ଗଙ୍ଗାଧର ମେହର

 

ନିବେଦନ

 

ପ୍ରିୟ ପାଠକପାଠିକା ବୃନ୍ଦ,

 

ମୋହର ସହୃତ୍‌ସତ୍ତମ କବିବର ଶ୍ରୀଯୁକ୍ତ ଗଙ୍ଗାଧର ମେହର ଯେଉଁ ଭୂମିରେ ଜନ୍ମଗ୍ରହଣ କରିଅଛନ୍ତି, ମୋର ମଧ୍ୟ ସେହି କଲ୍ଲୋଳିନୀ ପୁଣ୍ୟତୋୟା ଚିତ୍ରୋତ୍ପଳାଶୋଭିନୀ, ନିସର୍ଗସୌନ୍ଦସମ୍ପାଦିନୀ, ଐତିହାସିକଘଟନାକିରୀଟିନୀ, ସୁଧା-ନିସ୍ୟନ୍ଦିନୀ ପଣ୍ୟମୟୀ ସମ୍ବଲପୁର ଭୂମିରେ ଜନ୍ମ । ଏକ ପକ୍ଷରେ ସ୍ନହମୟୀ ଜନନୀ ପ୍ରତି ଆଶିଂକ କର୍ତ୍ତବ୍ୟସମ୍ପାଦନ, ତଥା ଅପର ପକ୍ଷରେ କବିବରଙ୍କ ସହିତ ଶୁଭସମ୍ପର୍କର ସାମାନ୍ୟ ପୁଷ୍ଟିସାଧନ, ଏହି ଉଭୟ କାର୍ଯ୍ୟ ଏକ ସଙ୍ଗରେ ଓ ଏକାଧାରରେ ସମ୍ପାଦିତ ହେବ ଭାବି ମୁଁ ସ୍ୱତଃପ୍ରଣୋଦିତ ହୋଇ ଏହି କ୍ଷୁଦ୍ର ପୁସ୍ତିକାର ପ୍ରକାଶଭାର ଗ୍ରହଣ କରିବାକୁ କବିବରଙ୍କ ନିକଟରେ ଇଚ୍ଛାପ୍ରକାଶ କରିଥିଲି । ସେ ସ୍ୱଭାବସୁଲଭ ସାରଲ୍ୟଗୁଣରେ ମୋର ଆନ୍ତରିକ ଇଚ୍ଛା ବୁଝିପାରି ସମ୍ମତି ପ୍ରଦାନ କରିବାଦ୍ୱାରା ମୋତେ ପ୍ରଭୂତି ଆନନ୍ଦ ଦାନ କରିଅଛନ୍ତି

 

ପୁଣି ଏହି ପୁସ୍ତିକାରେ ତାହାଙ୍କର ପ୍ରତିକୃ ଖଣ୍ଡିଏ ସନ୍ନିବେଶିତ କରିବା ପାଇଁ ମୋର ସାଗ୍ରହ ଅନୁରୋଧ ରକ୍ଷାକରି ସେ ମୋତେ ଅନୁମିତ ପ୍ରଦାନ କରିଥିବାରୁ ମୁଁ ତାହାଙ୍କ ସମୀପରେ ମୋର ଅନ୍ତର୍ଗତ ଭକ୍ତିଜଡ଼ିତ କୃତଜ୍ଞତା ଜ୍ଞାପନ କରୁଅଛି ।

 

ଡେନ୍‌ ହିନ୍ଦୁ ହଷ୍ଟେଲ, କଲିକତା

 

।।ଇତି।।

ତା ୧୧।୧୧।୧୯୯୪

 

ଶ୍ରୀ ବ୍ରଜମୋହନ ପଣ୍ଡା

 

 

ଉତ୍କଳ ଲକ୍ଷ୍ମୀ

 

ଜୟ ଗୋ ଉତ୍କଳ ଲକ୍ଷ୍ମୀ ଏକମାତ୍ର

ସୁନ୍ଦରୀ ତୁ ବସୁଧାରେ,

ପ୍ରାକୃତିକ ଶୋଭା ରାଶି ରହିଛନ୍ତି

ତୋ ଅଙ୍ଗରେ ଏକାଧାରେ ।

ତୋହୋ ବାସ ପାଇଁ ଅଛି କେତେ ତୁଙ୍ଗ

ସୁନ୍ଦର ଶୈଳ-ଶିବିର,

ଦୃଶ୍ୟଚୟ ଯା’ର ବର୍ଣ୍ଣନାକରଣେ

ଶକତି ନାହିଁ କବିର ।

ପ୍ରିୟ ମୃଗମୃଗୀ ବୁଲୁଛନ୍ତି ତୋର

ତମ୍ବୁ ତଳ ଭୂମିଖଣ୍ଡେ

ବୁଲୁଛନ୍ତି ମତ୍ତ ମତଙ୍ଗଜୟୂଥ

ଦାନବାରିପ୍ଳୁତଗଣ୍ଡେ ।

ତୋ ବିହାର ପାଇଁ ସ୍ଥାନେ ସ୍ଥାନେ କେତେ

ଗମ୍ୟ ଉପବନମାନ,

ବିବିଧ ସୁବାସ ଫୁଲେ ପୂର୍ଣ୍ଣ ହୋଇ

ରହିଅଛି ବିଦ୍ୟମା ।

 

କାହିଁ ଗିରିତଳ ନିବିଡ଼ କାନନେ

ତୋ ପାଳିତ ଜନ୍ତୁଗଣ,

ଅତି ପ୍ରମୋଦରେ ଦଳ ଦଳ ହୋଇ

କରୁଛନ୍ତି ବିଚରଣ ।

କାହିଁ ଧେନୁପଲ ନବ ଦୂର୍ବାଦଳ

ଶ୍ୟାମଳ ଧରଣୀବକ୍ଷେ,

ଚରି ଚରି ପୁଚ୍ଛ ଚାମର ଢାଳନ୍ତି

ଏକା ତୋହେ ସେବା ଲକ୍ଷ୍ୟେ ।

କାହିଁ କୁସୁମିତ ଲତାଦୋଳିମାନ

ହୋଇଅଛି ସୁସଜ୍ଜିତ,

ତୋତେ ଦୋଳାଇବା ପାଇଁ ବିହଙ୍ଗମେ,

ବସି ଗାଉଛନ୍ତି ଗୀତ ।

କାହିଁ ସୁଶୀତଳ ଧବଳ ଉପଳ

ହୋଇଛି ପଲଙ୍କାୟିତ,

ପଲ୍ଲବ-ବ୍ୟଞ୍ଜନ ଧରି ତରୁଗଣ

ଚଉଦିଗେ ଦଣ୍ଡାୟିତ ।

ଚିଲିକା ଅଂଶୁପା ଅଟନ୍ତି ପରା ତୋ

ପ୍ରିୟ କେଳିସରୋବର,

ତହିଁ ମଧ୍ୟେ କେତେ କେତେ ଗିରି କେଳି-

ମଣ୍ଡପ ଅତି ସୁନ୍ଦର ।

ପ୍ରିୟ ସହଚରୀ ପ୍ରକୃତି ସୁନ୍ଦରୀ

ହୋଇ ଅତି ସାବଧାନ,

ସ୍ଥାନେ ସ୍ଥାନେ ତୋହ ପାଇଁ ଥୋଇଅଛି

କେତେ ଅଳଙ୍କାରମାନ ।

ପ୍ରଧାନପାଟରେ ସମ୍ପାଦି ଥୋଇଅଛି

ଉଜ୍ଜ୍ୱଳ ରତ୍ନ ସୀମନ୍ତ,

ଲୋକମୁଖେ ଯା’ର ସୁନ୍ଦରିମା କଥା

ବ୍ୟାପିଛି ଦିଗଦିଗନ୍ତ ।

କେମନ୍ତ କୌଶଳେ ଗୋଧୂଳି ମସ୍ତକେ

କାଚଖଣ୍ଡେ ଦେଇ ଖଚି,

ତୋ ଲାଗି ଥୋଇଛି ‘ଗୁମ୍‌ଦର୍ହ’ ଗର୍ଭେ

ଦିବ୍ୟ ମଥାମଣି ସଞ୍ଚି ।

ଗର୍ବ ଖର୍ବ ହେବ ତାରାମାନଙ୍କର

ଦୀପ୍ତିକି ଚାହିଁଲେ ଯା’ର,

ସମୁଦ୍ର-ପୁଳିନେ ଥୋଇଅଛି ଦେଖ

ତୋ ଲାଗି ମୁକୁତା ହାର ।

ତୋ ହୃଦେ ବିରାଜେ ଗଡ଼ଜାତ ଦେଶ

ଉଜ୍ଜ୍ୱଳ ପଦକହାର,

ନୃପତି ଖନିଜ ରତନ ଖଚିତେ

ପ୍ରଭା ବିକାଶୁଛି ତାର ।

ଶ୍ରୀରାମ, ସୁଢ଼ଳ ରତ୍ନଯୁଗ ଯୋଗୁଁ

ତନୁ ତୋର ସମୁଜ୍ଜ୍ୱଳ,

ଆଉ କେତେଗୋଟି ସ୍ୱଳ୍ପପ୍ରଭ ହୋଇ

ଦିଶୁଛନ୍ତି ଜଳଜଳ ।

 

କେତେ ମଣି ଅତି ମ୍ଳାନ ଦିଶୁଛନ୍ତି

ଥାଇ ସେ ନଥିଲା ପରି,

କେତେ ଗୋଟି ରତ୍ନ କ୍ରୂର କାଳ ଚୌର

ବଳେ ନେଇଅଛି ହରି ।

 

ମସ୍ତକେ ଶୋଭୁଛି ସୁନ୍ଦର ସୌରଭ

ବିସ୍ତାରି କୁସୁମଝରା,

ଯଶସ୍ୱୀ ପଣ୍ଡିତ କବି ଏ ତ୍ରିବିଧ

ଫୁଲେ ଜନମନୋହରା ।

 

ସର୍ବାଙ୍ଗେ ଆବୃତ ବ୍ରିଟିଶ-ରାଜତ୍ୱ

ଶୁକ୍ଳ ବନାରସୀ ଶାଢ଼ି,

ସୁକୀର୍ତ୍ତି ସୁବର୍ଣ୍ଣ ଜରିଫୁଲ ଯହିଁ

ପଡ଼ିଅଛି ଧାଡ଼ି ଧାଡ଼ି ।

 

ଯାମିନୀ କାମିନୀ ପ୍ରିୟସଖୀ ଭାବେ

କରୁଥାଏ କେତେ ସଜ,

କୋମଳ ଶ୍ରୀଅଙ୍ଗେ ବୋଳିଦେଉଥାଏ

ନୀହାର-କର୍ପୂରରଜ ।

କେବେ ବୋଳିଦଏ ସ୍ନେହବଶେ ଚନ୍ଦ୍ର

ଚନ୍ଦ୍ରିକା ଚାରୁ ଚନ୍ଦନ,

ତିମିର ଛଳରେ ମୃଗମଦ ଘୋରି

କେବେ କରେ ପ୍ରଲେପନ ।

ତୋହେ ରୂପେ ମୁଗ୍‌ଧ ହୋଇ ଜଗନ୍ନାଥ

ଛାଡ଼ି ଦ୍ୱାରବତୀପୁର,

କଳିନ୍ଦଜାତଟ ବିପନବିହାରି

ସୁଖ କର ମନୁଦୂର ।

ପୂର୍ବାଚଳ ଦିନମଣି ପ୍ରାୟେ

ବଜେ କରି ନୀଳଚଳେ,

ପ୍ରେମ ଆଲିଙ୍ଗନ କରୁଛନ୍ତି ତୋତେ

ପ୍ରକାଣ୍ଡ ବାହୁଯୁଗଳେ ।

କାଶୀଧାମ ଛାଡ଼ି ଆସି ତ୍ରିଲୋଚନ

ରହିଲେ ଏକାମ୍ରବନେ,

ତିନି ଲୋଚନକୁ ତୃପ୍ତ କରୁଛନ୍ତି

ତୋ’ ରମ୍ୟ ରୂପଦର୍ଶନେ ।

ସେ ବିଶ୍ୱପାବନ ବିଶ୍ୱନାଥଙ୍କର

ଗମନକୁ ଅନୁସରି,

ଜାହ୍ନବୀ ଆସିଲେ କଇତବ ବେଶେ

ଚିତ୍ରତ୍ପୋଳା ନାମ ଧରି ।

ପଥେ ଦେଖି ତାଙ୍କୁ ‘ସମଲାଈ’ ଦେବୀ

ଭାବେ ଆଲିଙ୍ଗନ କଲେ,

ସମଲାଈ କର ଲାଗି ହୃଦହାର

ଛିଡ଼ି ପଡ଼ିଗଲା ତଳେ ।

ସେହିଠାରେ ଭୂମି ହୋଇଲା ଗଭୀର

ଦେବୀ ଖୋଜି ଖୋଜି ହାର,

ଖନିତ ବାଲୁକା ରାଶି ପଡ଼ି ଯହିଁ

ହୋଇଅଛି ସ୍ତୂପାକାର ।

ଏବେ ହୀରାକୁଦ ନାମେ ଅଭିହିତ

ହୋଇଅଛି ସେହି ସ୍ଥାନ,

କେତେ ହୀରା ତହୁଁ ପାଇଁ ତୋ’ କୁମରେ

ହୋଇଛନ୍ତି ଧନବାନ ।

ତହୁଁ କିଛି ଦୂରେ ‘ହୁମା’ ମହେଶ୍ୱର

ଚାହିଁ ତା’ ଚାରୁ ମୂରତି,

ସ୍ନେହେ ଡାକିବାରୁ ନିକଟକୁ ତାଙ୍କ

ଯିବାକୁ ଦେଇ ସମ୍ମତି ।

ମହେଶ ଅଙ୍ଗୁଳି ରେଖାଙ୍କିତ ପଥେ

ଉତ୍ତରକୁ ଏକ ଧାର,

ଗଲା ଘୋର ଶିଳା ସଙ୍କୁଳ ଦୁର୍ଗମ

ବନପଥ ହୋଇ ପାର ।

 

ତୋଷି ତାଙ୍କୁ ପୁଣି ପୂର୍ବ ଧାରେ ମିଶି

ଗମନ କର ସତ୍ୱରେ,

ଆସି ତୋ’ ପାଶରେ ମିଳନ୍ତେ ସସ୍ନେହେ

ବସାଇଅଛୁ ଅଙ୍କରେ ।

 

ପରସ୍ପର ଶୋଭ ବର୍ଦ୍ଧନ କାରଣେ

ହୋଇଅଛି ସମାହାର,

ସୁନ୍ଦର ପ୍ରତିମା ଗଳେ ଦେଲା ବିଧି

ଇନ୍ଦ୍ରାନୀଳମଣି ହାର ।

 

ଶରସୁନ୍ଦରୀକି ଶୋଭା କରନ୍ତି ଯେ

କୌମୁଦୀ କୁସୁମମାଳେ,

ମଞ୍ଜୁ ରତ୍ନଟିଏ ଦେଇଅଛନ୍ତି ଯେ

ଉଷା ଦିବ୍ୟଯୋଷା ଭାଲେ ।

 

ଯୁବତୀ ବଦନେ ଦେଇଅଛନ୍ତି ଯେ

ଜଗତମୋହିନୀ କାନ୍ତି,

ଯେହୁ ଦେଇଛନ୍ତି କୁସୁମେ ସୌରଭ

ସାଧୁ ହୃଦୟରେ ଶାନ୍ତି ।

ଯୋଗ୍ୟକୁ ଯୋଗ୍ୟରେ ଯୋଜନାକରଣେ

ତିଳେ ଭ୍ରାନ୍ତି ନାହିଁ ଯା’ର,

ସେହି ବିଧି ଏକା ଦେଇଛନ୍ତି ତୋତେ

ଏହି ଦିବ୍ୟ ଅଳଙ୍କାର ।

ଋତୁମାନେ ତୋର ଫୁଲମାଳରୂପେ

ଦେଉଥାନ୍ତି କେତେ ଫୁଲ,

ଫୁଲବେଶୀ ଫୁଲ ଲାଳସୀ କାହାକୁ

ଦେଖିନାହିଁ ତୋହ ତୁଲ ।

ବସନ୍ତ ଯୋଗାଏ ମୁକୁଳ ମାଧବୀ

କଞ୍ଚନ ନବମଲ୍ଲିକା,

ସୌରଭ ଲୋଭରେ ନ ଛାଡ଼ନ୍ତି କ୍ଷଣେ

ଯା’ ପଛ ଅଳିମାଳିକା ।

ଗ୍ରୀଷ୍ମ ଦିଏ ସୁର ବାଞ୍ଛିତ ଚମ୍ପକ

ବକୁଳ ନବମାଳିକା,

ବରଷା କୂଟଜ କୁସୁମସ୍ତବକ

ସହିତେ ଜାତି ଯୂଥିକା ।

ଶରଦ କେତକୀ କୁମଦେ ହେମନ୍ତ

ଶତବର୍ଗ ତୋଷ କରେ,

ଶିଶିର ପୂଜଇ ସୁନ୍ଦରୀ ସେବତୀ

ସହ ଆମ୍ରବଉଳରେ ।

ନିଦାଘରେ ଦିନେ ମଧ୍ୟାହ୍ନ କାଳରେ

ବସିଥିଲି ଚୂତବନେ,

ତୋ’ ସେବାରେ ବଂଶୀ ବାଉଥିଲେ ତହିଁ

ଝିଙ୍କାରି ଗମ୍ଭୀର ସ୍ୱନେ ।

ମଧୁରସମ୍ପର୍ଣ୍ଣ ସୁବର୍ଣ୍ଣବରନ

ପକ୍ୱ ଚୂତଫଳମାନ,

ତୋହ ଭୋଗ ଅର୍ଥେ ଯତ୍ନେ ତୋଳି ଦେଉ

ଥିଲେ ଦେବ ପବମାନ ।

ଭକତିଭାବରେ ତହୁଁ ଗୋଟାକେତେ

ତୋହର ପ୍ରସାଦ ପାଇ,

ପ୍ରମୋଦ ମାନସେ ଆସିଲି ଜନନି !

ତୋହ ଯଶ ଗାଇ ଗାଇ ।

ପ୍ରାବୃଟ ସମୟେ ଦିନେ ଅସ୍ତମୁଖ

ହୋଇଥିଲେ ଦିନକର,

ପୂର୍ବଦିଗେ ଏଣେ ଘୋଟିଆସୁଥିଲା

ନୀଳତମ ଜଳଧର ।

ଜଳଧର କୋଳେ ହେଲା ଯା’ ବିଚିତ୍ର

ବାସବ-ଧନୁ ଲାଞ୍ଛତ,

ନୀଳାମ୍ବର ପ୍ରାଚୀ ସପତ ରତନ

ଲଲାମେ ହେଲା ଭୂଷିତ ।

ସୁବର୍ଣ୍ଣ ବରନ କିରଣ ବସନ

ପିନ୍ଧି ପ୍ରତୀଚୀ-ରମଣୀ,

ଛିଡ଼ା ଅନ୍ୟ ଦିଗେ ମସ୍ତକଦେଶରେ

ଘେନି ରବି-ମଥାମଣି ।

ସୁନ୍ଦରୀଯୁଗଳ ବିବିଧ ଛଟାରେ

ନୃତ୍ୟ କଲେ ତୋର ଆଗେ,

ବିହଙ୍ଗମଗଣ ଗାଇଲେ ସଙ୍ଗୀତ

ମନୋମୁଗ୍‌ଧକର ରାଗେ ।

ପ୍ରଭାତରେ ଦିନେ ଦେଖିଲି ସମାନେ

ସେହି ବେଶ ବଦଳାଇ,

ତୋ ସିଂହଦୁଆରେ ଠିଆ ହୋଇଥିଲେ

ନୃତ୍ୟ ଦେଖାଇବା ପାଇଁ ।

ଏହି ପରକାରେ ବିଶ୍ୱଶୋଭାରାଶି

କରୁଛନ୍ତି ତୋତେ ସେବା ,

ତୋହ ସଙ୍ଗେ ବିଶ୍ୱେ ତୁଳନୀୟ ହେବ

ଭାଗ୍ୟବତୀ ଅଛି କେବା ?

ପୂର୍ବେ ଦିନେ ହୋଇ ଥିଲା ମାର୍ଗଶିର

ପୌର୍ଣ୍ଣମାସୀ ବିଭାବରୀ,

ବସିଥିଲି ମୋର ପଲାଳ କୁଟୀରେ

ତୋତେ ଚିନ୍ତା କରି କରି ।

ଚନ୍ଦ୍ର ଆସି ହେଲେ ମଧ୍ୟ ଗଗନରେ

ନୀରବ ହୋଇଲା ମହୀ,

ଅର୍ଦ୍ଧ ନିଶି ହେଲା ବୋଲି ଗ୍ରାମ ପ୍ରାନ୍ତେ

ଶିବାଗଣ ଦେଲେ କହି ।

ଏହି ସମୟରେ ଘଟିଲା ଯା’ ଏକ

ଘଟଣା କି ଆଚମ୍ବିତ,

ସ୍ମୃତିପଥେ ଏବେ ପଡ଼ିଗଲେ ତନୁ

ହୋଇଯାଏ ପୁଲକିତ ।

ଅକସ୍ମାତେ ଏକ ପରମା ସୁନ୍ଦରୀ

ଦେବୀ ଆସି ମୋର ଆଗେ

ଉଭା ହୋଇ ‘‘ବତ୍ସ ଭାବ ନା, ଭାବ ନା’’

ସମ୍ଭାଷିଲେ ଅନୁରାଗେ ।

‘‘ଉତ୍କଳର ଗୂଢ଼ ରହସ୍ୟ ଗୋଟିଏ

ଆଜି ଦେଖାଇବି ତୋତେ,

ତୋହ ପ୍ରତି ମୋର କୃପା ସଞ୍ଚରିଛି

ଆରାଧିଲୁ ଯେଣୁ ମୋତେ ।

କହି କର ଧରି ବସାଇଲେ, ନେଇ

ଦ୍ରୁତଗାମୀ ଏକ ରଥେ,

ନିମେଷ ମଧ୍ୟରେ ବାହିନେଲେ ସେହି

ଦିବ୍ୟରଥ ଶୂନ୍ୟପଥେ ।

ଯାଉଁ ଯାଉଁ ଏକ ବିଚିତ୍ର ଭୁବନେ

ରଥ ପ୍ରବେଶିଲା ଯାଇ,

ଏମନ୍ତ ସୁନ୍ଦର ପୁର ଥିବା କଥା

କେବେ ଶୁଣିଥିଲି ନାହିଁ ।

ରୌପ୍ୟମୟ ଏକ ସୁନ୍ଦର ମନ୍ଦିର

ତହିଁ ମଧ୍ୟେ ବିରାଜିତ,

ହୀରାକଖଚିତ ସ୍ଫଟିକସ୍ତମ୍ଭରେ

ହୋଇଥାଏ ସୁଶୋଭିତ ।

ତହିଁ ଗଜଦନ୍ତ ନିର୍ମିତ ଧବଳ

କୁସୁମମୟ ଆସନେ,

ଉଜ୍ଜ୍ୱଳବରନ ଧବଳବସନ

ବସିଥିଲେ ଯୁବା ଜଣେ ।

ଶ୍ରୀଅଙ୍ଗ ପ୍ରଭାରେ ହୋଇଯାଉଥାଏ

ଚୌଦିଗ ଆଲୋକମୟ,

ଅସ୍ୱପ୍ନକଳ୍ପିତ ରୂପ ଚାହିଁ ମୋର,

ନେତ୍ର-ପାପ ହେଲା କ୍ଷୟ ।

ବିଶାଳ ବକ୍ଷରେ ଦୃଶ୍ୟ ହେଉଥିଲା

କତିପୟ ନୀଳ ଚିହ୍ନ,

ଭାବିଲି ମୁଁ ତାହା କିଛି ନୁହେଁ ସ୍ନେହ-

ଲେପିତ କସ୍ତୁରୀ ଭିନ୍ନ ।

ବାମଭାଗେ ତାଙ୍କ ବସିଥିଲେ ଏକ

ଅପୂର୍ବ ସୁନ୍ଦରୀ ନାରୀ,

ପିନ୍ଧିଥିଲେ ଶ୍ୱେତ ଝିନ ବାସ,ତନୁ

କାନ୍ତି ହେଉଥାଏ ବାରି ।

ଶ୍ରୀମୁଖମାଧୁରୀ ବୁଡ଼ିଯାଇଥିଲା

ପ୍ରବଳ ବିଷାଦ-ବିଷେ,

ତଥାପି ଆନନ୍ଦ କଳପଲତାର

ଜନ୍ମସ୍ଥଳ ପରି ଦିଶେ ।

କି ଜାଣି କି ଚିନ୍ତା ପୋଷି ହୃଦୟରେ

ବସି ସେ ବରଯୋଷିତ,

ଅନର୍ଗଳ ଅଶ୍ରୁ ପ୍ରବାହେ ଧରଣୀ

କରୁଥିଲା ଅଭିଷକ୍ତ ।

ବିନମ୍ର ବଦନେ ବସିଥିଲା ବାମା

ବାମହସ୍ତେ ନ୍ୟସ୍ତଗଣ୍ଡା,

ଢଳିଥିଲେ ଯଥା ପ୍ରଫୁଲ୍ଲ କୁମୁଦେ

କମଳିନୀ ଭଗ୍ନଦଣ୍ଡା ।

ଆହା ମୀନଦୃଶୀ ଅଳପ ବୟସୀ

ଅପୂର୍ବ ଶୋଭାଶାଳିନୀ,

ଜଗତର ସାର ସାର ଶୋଭା ଘେନି

ପ୍ରେମ କି ସେ ଶରୀରିଣୀ ?

ସୁନ୍ଦରୀ ସମାନ ଉପମା ଦେବାକୁ

ବହୁତ କଲି କଳ୍ପନା,

ମୋହ କଳପିତ ଉପମାସବୁକୁ

ବଳିଗଲା ବରାନନା ।

ଅତିଶୟ ଉକ୍ତି ଅଳଙ୍କାର ତହିଁ

ଲଗାଇ ବସିଲି ଯେତେ,

ସେ ଅଳଙ୍କାରର ଅଳଙ୍କାର ହୋଇ

ଗଲା ବାଳାମଣି ତେତେ ।

ଏମନ୍ତ ସୁନ୍ଦରୀ ବୁଡ଼ିଯାଇଥିଲା

ଗଭୀର ଶୋକ-ସାଗରେ,

ରାମ ବନବାସ ବାରତା ଅବା କି

ପଡ଼ିଛି ସୀତା ଆଗରେ ।

କୃଷ୍ଣ କଂସପୁର ଯିବା କଥା ଶୁଣି

ରାଧା କି ବସିଛି ଦୁଃଖ,

ପଡ଼ିଛି କି ମରୁ ଭୂମି ପଥଶ୍ରାନ୍ତ

ପଥିକ ଜନ ସମ୍ମୁଖେ ।

ଦୁଃଖ-ଦାବାନଳ କେମନ୍ତେ ପଶିଲା

ଏ ସୁଖ-କୁସୁମବନେ

ଜାଣିବା ନିମନ୍ତେ କୌତୁହଳ-ଶିଖା

ପ୍ରଦୀପ୍ତ ହେଲା ମୋ ମନେ ।

ପ୍ରଜ୍ଞା ଆସି ମୋର କର୍ଣ୍ଣରେ କହିଲେ

‘‘ ଯୁବକଟି କଳାକାର

ଜଗତ ତିମିର ରାଶି ଦୂର କରେ

ଯାର ସୁଧାମୟ କର ।

ସତାଇଶଗୋଟି ଜୟା ରହଛନ୍ତି

ଏ ପୁଂସକୁ କରି ଆଶ,

ତୋଷନ୍ତି ଏ ପ୍ରତି ପତ୍ନୀ-ଭବନରେ

ଦିନେ ଦିନେ କରି ବାସ ।

ରୋହୀଣୀ ପାଖରୁ ବିଦାନେଉଛନ୍ତି

ଯିବେ ମୃଗଶିରା ଘର,

ଏଣୁ ରୋହିଣୀକି ଜଗି ବସିଲାଣି

ବିଷମ ବିରାହ-ଜ୍ୱର ।’’

ନବ ବିକସିତ କୁସୁମକୁ ଆହା

ପକାଇ ସଉର କରେ,

ନିର୍ମମ ପୁରୁଷ ଛାଡ଼ି ଯାଉଛନ୍ତି

ଦୟା ନାହିଁ ହୃଦୟରେ ।

ଆହୋ କି ନିଷ୍ଠୁର ହୃଦୟ ଯେ ଜନ

ବହୁ ବାଲା କର ଧରେ,

ଏମନ୍ତ ହୃଦୟ ଆଗରେ କୁଳିଶ

ପ୍ରଭାବ ସ୍ୱୀକାର କରେ ।

ଏଣୁ କାମିନୀଏ ନ ବାଞ୍ଛନ୍ତି କେବେ

ବହୁସ୍ତ୍ରୀକ ରାଜବର,

କୁଟୀରକୁ ସୁଖ ମଣିଥାନ୍ତି ଧରି

ଐକପତ୍ନୀ କର ।

ସୁଧାଂଶୁ ବୋଇଲେ ‘‘ ହରଷେ ମେଲାଣି

ଦିଅ ହୋଇ ଦରହାସି,

ପ୍ରିୟେ, ତୋ ସଦନୁ ଯାତ୍ରା କରିବାକୁ

ସମୟ ହେଲାଣି ଆସି ।

ମଥା ଟେକିବାରେ କଥା କହ ସଖି,

ମାନ କରି ମନୁ ଦୂର,

ପଥ ଚାହୁଁଥିବୁ ସପ୍ତବିଂଶ ଦିନେ

ଆସିବ ତୋହର ପୁର ।

ବିଚ୍ଛେଦ ଶେଷରେ ପୁନଃବିଂଶ ଦନେ

ହୁଏ ବଡ଼ ସୁଖକର,

ନିଶ୍ଚୟ ଆସିବି ନିଶ୍ଚୟ ଆସିବି

ଆନବିଚାର ନ କର ।’’

ପଦେ ପଦେ ମଣୁ ଥିଲା ସୁକୁମାରୀ

ବଜ୍ରାଘାତ ପରକାର,

ଶିରୀକ୍ଷ ଉପରେ ପଡ଼ିଲା କି ଜଳ

ଧାରୋପରେ ଜଳଧାର ।

ବାଷ୍ପ-ଗଦଗଦ ସ୍ୱରେ କହେ ବାଳା

‘‘କପାଳେ ଅଛି ଏ ଯୋଗ,

ସତାଇଶ ଦିନେ ଦିନକରୁ ବେଶି

କେବେ ନାହିଁ ସୁଖଭୋଗ ।

ଆଉତ ବହୁତ ଅଛନ୍ତି ହେ କାନ୍ତ

ତୁମ ଚିତବିନୋଦିନୀ,

କି କଥାରୁ ମୋତେ ଜଗତେ ବୋଲନ୍ତି

ଦ୍ୱିଜରାଜବିଳାସିନୀ ?

ସୁଧାକର କର ଧରି କେବେ ମୋର

କ୍ଷୁଧା ଦୂର ହେଲା ନାହିଁ

ସଦା ବିରହିଣୀ ସଦା ବିରହିଣୀ

ଏହି ସୁଖସ୍ୱର୍ଗେ ଥାଇ ।’’

ସୁନ୍ଦର ବୋଇଲେ ‘‘ ଆଗୋ ଚାରୁଦୃଶ୍ୟ,

ନାହିଁ ମୋରର ଅଧିକାରୀ

ରହିବାକୁ ଦଣ୍ଡେ ଈଶ୍ୱର ନିୟମ

ଲଘିଂବି ଶକତି କା’ର ?’’

ସୁନ୍ଦରୀ ବୋଇଲେ ଦେଖ ଦେଖ ନାଥ,

ମର୍ତ୍ତ୍ୟବାସୀ ଜୀବଗଣ,

ଦାମ୍ପତ୍ୟ-ପ୍ରେମରେ ମାତ ମହାଲ୍ଲାଦେ

କରୁଛନ୍ତି ବିଚରଣ ।

ରାଜା ଅଛି ରାଜ ପ୍ରସାଦରେ ଧରି

ପଟ୍ଟମହିଷୀର କର,

ପ୍ରଜା ବସିଅଛି ପଲ୍ଲବ-କୁଟୀର

ସଙ୍ଗେ ଘେନି ବାମାବର ।

ରାତ ମାତ୍ର ବସି ବସି ବିରହରେ

ଦୁଃଖମାନସେ ଏକାକୀ

ଊଷା-ଦୂତୀପଥ ଚାହିଁ ରହିଥାନ୍ତି

ଚକ୍ରବାକ ଚକ୍ରାବକୀ ।

ଆଉ ପକ୍ଷୀ ସବୁ ବିହରନ୍ତି ସଦା

କୁତୂହଳେ ପ୍ରିୟା ସଙ୍ଗେ ,

କେ ଜଳେ କେ ସ୍ଥଳେ କେବା ତରୁଡାଳେ

ଭାସନ୍ତି ପ୍ରେମ-ତରଙ୍ଗେ ।

ବନଭାଗେ ଦେଖ ପ୍ରମୋଦ ଚିତ୍ତରେ

ହରିଣ ହରିଣୀଗଣ,

ପରସ୍ପରେ ପ୍ରେମ ଦାମ-ବଦ୍ଧ ହୋଇ

କରୁଛନ୍ତି ବିଚରଣ ।

ସ୍ଥାବର ଆଡ଼କୁ ଦେଖ କାନ୍ତ, ଥରେ

ଥାଉ ଜଙ୍ଗମର କଥା,

ରସାଳ କୋଳରେ ଆଲଙ୍ଗିତ ହୋଇ

ରହିଛି ମାଧବୀ ଲତା ।

ମର୍ତ୍ତ୍ୟବାସୀଙ୍କର ସୁଖେ ମୋହ ସୁଖ

କେଉଁ ଗୁଣେ ହେବ ସରି

ତୁମ୍ଭେ ତ ବବେକୀ ଜାଣିଥିଲେ ନାଥ,

କହ କହ କୃପା କରି ।’’

ଚନ୍ଦ୍ରମା ବୋଇଲେ ‘‘ତୁହି ସିନା ଏକା

ମୋହର ପ୍ରାଣ ସଙ୍ଗିନୀ,

ମୋ ମନ-ମରାଳ କେଳିଯୋଗ୍ୟ ଏକା

ତୋହ ପ୍ରେମ ତରଙ୍ଗିଣୀ ।

ଏକମାତ୍ର ପାରି ଜାତକ ଫୁଲ ତୁ

ମୋ ହୃଦ-ନନ୍ଦନବନେ,

ଆଉମନେ ସବୁ ଇତର କୁସୁମ

ତହିଁ କି ଶରଧା ମନେ ?

ତୋହ ସଙ୍ଗେ ସଦା ବିହାର କରନ୍ତି

ଏକାନ୍ତ ମୋର ବାସନା,

ଏ ବାସନା ଏଥି ବିଫଳ କରୁଛି

ଏକା ବିଧିବିଡ଼ମ୍ବନା ।

ତୋତେ ଘେନି ବନ୍ଧୁ ଏକାନ୍ତ ବିହାର

କରିବଇଁ କିଛି କାଳ,

ମର୍ତ୍ତ୍ୟମଣ୍ଡଳରେ ଅବତୀର୍ଣ୍ଣ ହେବା

ନରଦେହ ସଖି,ଚାଲ ।

କଳିଯୁଗେ ମନୋ ହର ପୁଣ୍ୟଧାମ

ଅଟଇ ଉତ୍କଳ ଦେଶ,

ଯହିଁ ବିଜେ କରି ଛନ୍ତି ଭଗବାନ

ଧରି ଦାରୁବ୍ରହ୍ମ ବେଶ ।

ରହିଲେଣି ମହା ଯୋଗୀ କୃତ୍ତିବାସ

ଜପ ତପ ଦୂର କରି,

ଗେଲେଣି ଯହିଁକି ଜଗତପାବନୀ

ସ୍ୱଚ୍ଛତୋୟା ସୁବେଶ୍ୱରୀ ।

ଛାୟାକାନ୍ତ ଯହିଁ କୋଣାର୍କ ମନ୍ଦିରେ

ରହିଲେଣି କରି ବାସ,

ଦେବଗୁରୁ ଯାଇ ଦେବଦୁର୍ଗଠାରେ

ହୋଇଲେଣି ପରକାଶ ।

ସଦାଶୟ ଗୁରୁ ସୁଢ଼ଳ ନାମରେ

ଲୋକେ ହେବ ପରିଚିତ,

ତାହାଙ୍କ ଉଜ୍ଜ୍ୱଳ କାନ୍ତିରେ ଉତ୍କଳ

ହୋଇଯିବ ଆଲୋକିତ ।

କାବ୍ୟ ହିଁ ଗଲେଣି କାବ୍ୟ ରଚିବାକୁ

ରାଧାନାଥ ନାମ ବହି,

ତାହାଙ୍କ ଭାରତୀ ବଳେ ହେବ ଖ୍ୟାତ

ଭାରତେ ଉତ୍କଳ ମହୀ ।

ଏହିରୂପେ ଗ୍ରହ ଗଣ ଦେବଗଣ

ନେଇଛନ୍ତି ଅବତାର,

ଚାଲ ପ୍ରିୟେ, ସେହି ପବିତ୍ର ରାଜ୍ୟରେ

କରିବା ସୁଖେ ବିହାର ।

ଉତ୍କଳେ ମୟୂର ଭଞ୍ଜ ନାମେ ଅଛି

ଏକ ରାଜ୍ୟ ମନୋହର,

ରାଜା ଛନ୍ତି ତହିଁ ରବିବଂଶମଣି

ଶ୍ରୀରାମର ବଂଶଧର ।

ଧର୍ମଶୀଳ ଜ୍ଞାନୀ ରାଜଚୂଡ଼ାମଣି

କୃଷ୍ଣଚନ୍ଦ୍ର ନାମେ ଖ୍ୟାତ,

ତାହାଙ୍କ ପବିତ୍ର ସୁନ୍ଦର ମନ୍ଦିରେ

ମୁହଁ ଯାଇ ହେବି ଜାତ ।

ରାମବଂଶେ ମୋର ଜନମ ହେବାରୁ

ରାମଚନ୍ଦ୍ର ହେବ ନାମ,

ମନୋହର ରୂପ ଦେଖି ମୋତେ ଲୋକେ

ବୋଲିବେ ଦ୍ୱିତୀୟ କାମ ।

ନୟନ ପାର୍ଶ୍ୱରେ ଅଳପ ଅଳପ

ଆଭା ଥିବା କଳଙ୍କର,

ପ୍ରଭା ଛଳେ ମୋର ପ୍ରଭା ପରକାଶି

ଯିବ ଦିଗଦିଗନ୍ତର ।

ଏହି କଥାମାନ ଶୁଣି ହେଉଥିଲି

ଆହ୍ଲାଦିତ ଅତିଶୟ,

ଉଠିଗଲେ ମୋର ଆନନ୍ଦସାଗରେ

ଅବାର୍ଯ୍ୟ ତରଙ୍ଗଚୟ ।

ମନେ ମନେ କେତେ ମୁଁ ବୋଇଲି ଧନ୍ୟ

ଧନ୍ୟଗୋ ଉତ୍କଳ ମାତ !

ସର୍ବ ଦେବଦେବୀ ହେଉଛନ୍ତି ତୋର

ବିଶୁଦ୍ଧ କୋଳରେ ଜାତ ।

ଏଣୁ ବିଜ୍ଞଜନେ ବୋଲୁଥାନ୍ତି ପରା

ସର୍ବ ତୀର୍ଥ ଘେନି ହରି,

ପତିତପାବନ ରୂପେ ରହିଛନ୍ତି

ନୀଳାଚଳେ ବିଜେ କରି ।

ଏଣୁ ଆର୍ଯ୍ୟ-କବି କହିଯାଇଛନ୍ତି

‘‘କଳୌ ଚିତ୍ରୋତ୍ପଳା ଗଙ୍ଗା ’’

ଶ୍ୱେତ ତରଙ୍ଗିଣୀ ଗୁପତେ ହୋଇଛି

ମଞ୍ଜୁଳଶ୍ୟାମତରଙ୍ଗା ।

ସହସା ଦିଶିଲା ବିରାଟ ମୂରତି

ବିରାଜିତ ସମ୍ମୁଖରେ,

ରାଜରାଜେଶ୍ୱରୀ ବେଶେ ରଥପଦ

ଗଦା ପଦ୍ମ କମ୍ଭୁ କରେ ।

ସୁନୀଳ ଚିକ୍‌କଣ ଚରମଲମ୍ବିତ

କୁଟିଳ କୁନ୍ତଳ କାନ୍ତି,

ଜନ୍ମାଉଛି ମନେ ବୀଚି-ବିକ୍ଷୋଭିତ

ସରତପତିର ଭ୍ରାନ୍ତି ।

ଅଭ୍ରଲିଟ ଚାରୁ ରଚିତ ବିରଟ

ବିଭ୍ରାଜିତ ମସ୍ତକରେ ,

କିଏ ନ କହିବ ମୁକୁଟ ଗଢ଼ିଛି

ବିଶ୍ୱକର୍ମା ନିଜ କରେ ।

କିରୀଟ-ଶୋଭାକୁ ଶୋଭିତ କରୁଛି

କର୍ଣ୍ଣଭୂଷା ମଲ୍ଲୀକଢ଼ି,

ମଲ୍ଲୀକଢ଼ି ତଟ ଚୁମ୍ବନେ କୁନ୍ତଳ

ଶୋଭାହିଁ ଯାଇଛି ବଢ଼ି ।

ନକ୍ଷ କରେ ବଙ୍ଗ ଭୂଷଣ ତୈଲଙ୍ଗୀ-

ଭୂଷଣ ଦକ୍ଷିଣେତରେ,

ଚରଣଯୁଗଳେ ଲରିୟା ଭୂଷଣ

ଶୋଭା ସମ୍ପାଦନ କରେ ।

କଟିତଟେ ହେମ ଦାମ ମନୋରମ

ବସନ ଗୁମ୍ଫନେ ରହି,

ବ୍ୟଞ୍ଜିତ ହେଉଛି ଖିଚିତ ରତନ

ତେଜେ ନେତ୍ରପାପ ଦହି ।

ସାଧୁ ଭକ୍ତ ଜଣେ ସରସ୍ୱତୀ ଜଳେ

ତାଙ୍କ ଅଭିଷେକ କରି,

ରତ ଥିଲେ ସ୍ତବେ ଦିଶିଲେ ମୋତେ ସେ

ରାଧାନାଥ ରାୟ ପରି ।

ବୋଲୁଥିଲେ, ‘‘ଧନ୍ୟ ଲଲାଟକେଶରୀ

କୀରତି କଳା ପଣ୍ଡିତ ।

କରିଛନ୍ତି ଯେହୁ ଦେବୀଙ୍କ ମଉଳି

କୀରଟବରେ ମଣ୍ଡିତ ।

ଧନ୍ୟ ସେ ଲାଙ୍ଗୁଳା ନରସିଂହ ଦେବ

ଅନଙ୍ଗଭୀମ ଭୂପାଳ,

ମଲ୍ଲୀକଢ଼ି ଦେଇ ଯଶୋରାଜ୍ୟେ ରାଜା

ହୋଇଛନ୍ତି ଚିରକାଳ ।

ଚାରୁ ପତ୍ରାବଳୀ ଲେଖିଛନ୍ତି ଭଲେ

ବୌଦ୍ଧ ନୃପଗଣେ ଧନ୍ୟ,

ନଥିଲେହେଁ ତାଙ୍କ ମତେ ଲଭିଛନ୍ତି

ପରକାଳଭୋଗ୍ୟ ଧନ ।

କି ଦେଇ ପୂଜିବି ଉତ୍କଳଲକ୍ଷ୍ମୀ ଗୋ,

କି ଅଛି ପୂଜାସମ୍ବଳ,

ଅଭିଷେକ ମାତ୍ର କଲି ଦୂରୁ ଆଣି

ଶୁଦ୍ଧ ସରସ୍ୱତୀ ଜଳ ।’’

ରମ୍ୟ କଟିଦାମ ଦେବା ଲୋକ ନାମ

ନ ଶୁଣି ହେଲି ବିକଳ,

ଭାବିଲି ଦାୟକ ଥିଲେହେଁ ଗାୟକ

ନଥିଲେ ଦେବା ବିଫଳ ।

ପ୍ରଜ୍ଞା କହିଦେଲେ ସେହି ଚାରୁଭାଷା

ଚୌହାଣ ଭୂପତିବର୍ଗ

ଦେଇ, ଲଭିଛନ୍ତି କେହି ଅପବର୍ଗ

କେହି ମଣ୍ଡିଛନ୍ତି ସ୍ୱର୍ଗ ।

ପଢ଼ନ୍ତେ ମନ୍ତର ସେ ଭକ୍ତପ୍ରବର,

ଆସିଲେ ହୋଇ ସତ୍ୱର,

ମୃତ ପ୍ରାଣିଗଣ ନବ ପ୍ରାଣ ଲଭି

ବହି ନବ କଳେବର ।

ସ୍ଥାବର ସକଳ ନବ ପ୍ରାଣ ଲଭି

କରିଦେଲେ ଆଗମନ,

ଉପଚାର ଘେନି ‘‘ଜୟ ଗୋ ଉତ୍କଳ-

ଲକ୍ଷ୍ମୀ’’ କରି ଉଚ୍ଚାରଣ ।

ଆସିଲେ ଯଯାତି ଉଲ୍ଲାସଇ ଛାତି

ଜଇତ୍ର ପତାକା ଧରି

ସେ ଧ୍ୱଜେ ଚିତ୍ରିତ ହୋଇଥିଲା ଲୋକ

ରସନ ଭୀମକେଶରୀ ।

ଶ୍ରୀପୁରୁଷୋତ୍ତମ ନରେନ୍ଦ୍ର ଆସିଲେ

ଘେନି ରତ୍ନମୟ ଛତି,

କାଞ୍ଚୀ-ଗର୍ବ-ଚୂର୍ଣ୍ଣେ ମଜା ହୋଇଥିଲା

ସେ ଛତ୍ର ରତନପଂକ୍ତି ।

ଚୋରଗଙ୍ଗ ଦେବ ଉପନୀତ ହୋଇ

ଢାଳିଲେ ଶ୍ୱେତ ଚାମର,

ଚାଳିତ ଚାମର ଦିଶିଲା ଯେସନ

ଆଦ୍ୟ ଭାଗୀରଥୀ ଝର ।

ଜୟନ୍ତ ଆସିଲେ ମୟୂରଚନ୍ଦ୍ରିକା

ରଚିତ ବ୍ୟଜନକରେ,

ମୟୂରଚନ୍ଦ୍ରିକା ଶୋଭୁଥିଲା ତାଙ୍କ

ରତ୍ମମୟ ଉଷ୍ମୀଷରେ ।

ଗଙ୍ଗେଶ୍ୱର ଦେବ ବିନତବଦନେ

ପୃଷ୍ଠଭାଗେ ହୋଇ ଛିଡ଼ା,

ଦେବୀଙ୍କ ରତନ ପଣତକାନିରେ

ଢାଙ୍କୁଥିଲେ ମୁଖବ୍ରୀଡ଼ା ।

ତା ପରେ ଆସିଲେ ରମଣୀମଣ୍ଡଳ

କରେ ଧରି ଅର୍ଘ୍ୟଥାଳି,

ମନୋହର ଫୁଲ ରମଣୀମଣ୍ଡଳ

କରେ ଧରି ଅର୍ଘ୍ୟଥାଳି,

ମନୋହର ଫୁଲ ଧୂପ ଗନ୍ଧ ସହ

ରତନ ପ୍ରଦୀପ ଜାଳି ।

ଆସିଲେ ଲଳିତା ବିମଳା ସହିତ

ପରସ୍ପର ଛନ୍ଦି କର,

ପଦ୍ମାବତୀ ଦେବୀ ଆସିଲେ ରତନେ

ବଦନ କରି ଭାସ୍ୱର ।

ନନ୍ଦିକା ଆସିଲା କଣ୍ଟକିତ ପଥେ

ଲଜ୍ଜା-ଉପାନହପଦେ,

ଉପାୟନରୂପେ ଜୈତ୍ରମଣି ଧରି

ନବପ୍ରେମଗଦଗଦେ ।

ଏକ କରେ ଧନୁ ଅନ୍ୟ କରେ ଧରି

ମାର୍ତ୍ତଣ୍ଡ ପ୍ରଚଣ୍ଡ ଶର,

ନିମେଷ ମାତ୍ରକେ ଦଉଡ଼ି ଆସିଲା

ଉଷା ବୀରନାରୀବର ।

କୌଶଲ୍ୟା ଆସିଲା ମୁଖ ଢାଙ୍କି ବାସେ,

କଟାର କରେ ପାର୍ବତୀ,

ଥିଲେ ତାଙ୍କ ସଙ୍ଗେ ଅନ୍ନପୂର୍ଣ୍ଣା ଶୁକ୍ର–

ତାର ସମ ଜ୍ୟୋତିଷ୍ମତୀ ।

ନବୀନ ରବିଙ୍କ ଗାଢ଼ ଅନୁରାଗ

ପେଷଣେ, ଚରଣତଳ

ରଙ୍ଗ ହୋଇଥିଲା ଜନ୍ଦ୍ରଭାଗା ସତୀ

ଆସିଲେ ହୋଇ ଚଞ୍ଚଳ ।

 

ଘାଣ୍ଟି ହେଲା ମନ ନ ଦେଖି ତହିଁରେ

ରମାଇ ବଂଶର ଜଣେ,

ବଳରାମ ଦେବ କମଳକୁମାରୀ

ପଡ଼ିଲେ ସେକାଳେ ମନେ ।

 

ମେଘାସନ ଗନ୍ଧ ମାଦନ ଗୋନସା

ଅରଣ୍ୟେ ପଥ ନ ହୁଡ଼ି,

ଉଭାହେଲେ ଦେବୀ ପାଶେ ଊର୍ଦ୍ଧେ ଟେକି

ଗଗନଚୁମ୍ବୀ ଦିହୁଡ଼ି ।

ଥିଲେ ତାଙ୍କ ସଙ୍ଗେ ମାଲ୍ୟଗିରି ବାରା

ସପ୍ତଶଯ୍ୟା କପିଳାସ,

ଶରଣ୍ଡା ଚର୍ଚ୍ଚିକା ଦ୍ୱିଶିରା ବାରୁଣୀ

ହୃଦୟେ ଭରି ଉଲ୍ଲାସ ।

ବିଶ୍ୱନାଥ ତାରା ଦେବୀଙ୍କ ଶଇଳ

ପ୍ରକୃତରେ ଥିଲେ ସାନ,

ମନ୍ତ୍ରପ୍ରଭାବରୁ ଉଚ୍ଚ ଉଚ୍ଚ ଗିରି-

ଶ୍ରେଣୀରେ ପାଇଲେ ସ୍ଥାନ ।

ଘନ-ଶିରସ୍ତ୍ରକ ମହେନ୍ଦ୍ର ଅଇଲା

ମନ୍ତ୍ରେ ହୋଇ ସମାହୂତ ,

ଭାଲେରୀ ସୋଲେରୀ କାଳୀଜାୟୀ ଆଦି

ତା ସଙ୍ଗେ ଥିଲେ ବହୁତ ।

ମଣିଭନ୍ଦ୍ରା ମଣି ମଣ୍ଡପ ସଦୃଶ

ବିରାଜିଲା ମଧ୍ୟସ୍ଥଳେ,

ମୁଖରିତ ହୋଇ ଶୁକ ଶାରୀ ପିକ

ଶ୍ରୁତିସୁଧା-କଳକଳେ ।

ଅତି କମନୀୟ ରତ୍ନମୟ ଝରି

ହସ୍ତରେ ପ୍ରଧାନ-ପାଟ,

ରାଜପୁରୋହିତ ରୂପେ ଉଭାହେଲା

ଘେନି ନିଜ କୂଳ ଥାଟ ।

ମନ୍ତ୍ରେ ଉଚ୍ଚାରିତ ନୋହି ସ୍ୱେଚ୍ଛାକ୍ରମେ

ବେଢ଼ିଲେ ରହି ଅଲକ୍ଷେ

ଉଚ୍ଚ ଗିରିଶ୍ରେଣୀ ସେନାନୀ ସ୍ୱରୂପେ

ଦିଗବ୍ୟାପ ସ୍ଥୂଳବକ୍ଷେ ।

ନିମାଇଁ ନଗେନ୍ଦ୍ର ଦିଶୁଥିଲା ସବୁ

ଗିରିଠାରୁ ଉଚ୍ଚତମ,

କୁମ୍ଭସୁତ ଦିଶୁ ଥିଲେ ତା କିରୀଟ-

ରତ୍ନ ପ୍ରାୟ ମନୋରମ ।

ନିମାଇଁ ସମାନେ ଥିଲା ବଙ୍କାସାମ

ବିଦ୍ୟୁତଭାସ୍ୱରବକ୍ଷ,

ତା’ ପାଖେ କରଲା ପାଟ ଥିଲା ଘେନି

ସଶସ୍ତ୍ର କନ୍ଧ ଅଂସଖ୍ୟ ।

ଉନ୍‌ମୁଖ ଟିକିର ଗୁଡ଼ା ହୋଇଥିଲା

ଅର୍ପିବାକୁ ଉପହାର,

ନୟନ-ରସନା ପ୍ରମୋଦଦାୟକ

କମଳା ଅୟୂତ ଭାର ।

ଉଭାଥିଲେ ହରି ଶଙ୍କର ସହିତ

ନରସିଂହନାଥ ଦ୍ୱାରେ,

ଅଭିଷେକଯଥା କାଳେ କରିବାକୁ

ପବିତ୍ର ସହସ୍ରଧାରେ ।

ଗହଣେ ତାଙ୍କର ଥିଲେ ହୃଷ୍ଟପୁଷ୍ଟ

ତୁଙ୍ଗ ଘନ ବନଶ୍ରେଣୀ,

ଫୁଲ୍ଲ ନାଗେଶ୍ୱର ସୁମନ ସୁନ୍ଦର

ସୁପକ୍ୱ ନାରଙ୍ଗ ଘେନି ।

ପଟଣା-ଈଶ୍ୱରୀ ପୀତ ପଟ୍ଟବାସେ

ରଜତ ଆବରଣ କରି ଗାତ୍ର,

ରଜତ କଙ୍କଣ ଭୂଷିତ ହସ୍ତରେ

ଧରିଥିଲେ ଧୂପପାତ୍ର ।

ରଜତ ଆଜିରେ ଆତପ ତଣ୍ଡୁଳ

ଦେଇଥିଲେ ରାମଚଣ୍ଡୀ

ତଣ୍ଡୁଳକୁ ଚାହିଁ ହୀରାରେଣୁ ବେଲି

ନେତ୍ର ହେଉଥାଏ ଭଣ୍ଡି ।

ଶିଶୁପାଳ ବାର ପାହାଡ଼, ଛେଲିଆ

ଝରଘାଟୀ, ବଡ଼ପାଟୀ,

ଗିରିମଲ୍ଲୀମାଳ ଧରି ପ୍ରାଙ୍ଗଣରେ

ଦିଶୁଥିଲେ ପରିପାଟୀ ।

ବୁଢ଼ାରଜା ଗଙ୍ଗ ଶିଉଳି ସ୍ତବକ

ହସ୍ତରେ ତହିଁ ଥିବାର,

ଦେଖି ଗାଢ଼ପ୍ରେମ ପୂରିତ ଲୋଚନେ

ନିରେଖିଲି ବାରମ୍ବାର ।

ମୋତିଝରଣର ମୋତିମାଳା ରୂପୀ

ଆମଳକୀ ଫଳମାଳ,

ଉପହାର ଘେନି ଉଭା ହୋଇଥିଲେ

ତୁଙ୍ଗ ତୁଙ୍ଗ ବହୁ ଶାଳ ।

ଅଗଣିତ ଗଜ ବଳ ଘେନି ତେଣେ

ମାଙ୍କଡ଼ନଚା ଉତ୍ତରେ,

ରହିଲା, ବାହାମ ଗଡ଼ ଆଦି ତିନି

ଯୋଗ୍ୟ ଭାଇ ସହିତରେ ।

ଶୃଙ୍ଗସୁଶୋଭିତ ହରିଣବାହିନୀ

ସୁସଜ୍ଜିତ କରି ‘ମାନ,

ଜ୍ଞାତିଗଣ ସଙ୍ଗେ ତାଙ୍କ ସମୀପରେ

ରଖୁ୍ଥିଲା ନିଜ ମୀନ ।

ତରଙ୍ଗିଣୀଗଣ ନୃତ୍ୟ ଆରମ୍ଭିଲେ

ମନୋହର ବେଶ ଧରି,

ବିବିଧ ଭୂଷଣେ ବିଭୂଷିତ ହୋଇ

କୁସୁମେ ସାଜି କବରୀ ।

ହୀରକମଣ୍ଡିତ ବେଣୀ ଚିତ୍ରୋତ୍ପଳା

ଯହିଁ ଥିଲା ଅଗ୍ରଗଣ୍ୟା,

ଅମରଭୁବନେ ନର୍ତ୍ତକୀମଣ୍ଡଳେ

ଉର୍ବଶୀ ଯେସନ ଧନ୍ୟା ।

 

ତା’ ପଛକୁ ଥିଲା ବ୍ରାହ୍ମଣୀ ସୁବର୍ଣ୍ଣ

କୁସୁମରେ ମଣ୍ଡି ଚୂଳ,

ନୃତ୍ୟଭୋଳେ ଗଣୁ ନ ଥିଲା ଚୂଳରୁ

ଖସୁଥିଲା ସ୍ୱର୍ଣ୍ଣଫୁଲ ।

ସିଂହଭୂମି ରାଜ ଉଦ୍ୟାନ କୁସୁମ

ରଚିତ ସୁରମ୍ୟ ହାର,

ଉରେ ମଣ୍ଡି ‘ଦେବ’ ‘କୋଇଲି ସହିତ

ସଙ୍ଗେ ନାଚୁଥିଲା ତାର ।

ଗାଉଥିଲେ ମଧୁ ସ୍ୱରେ ମଧୁମୟ

ବେଦବ୍ୟାସ ଗୀତାବଳୀ,

କୋଇଲୀ ମସ୍ତକେ ବ୍ରାହ୍ମଣୀ ଶିଖରୀ

ଦେଉଥିଲେ ପୁଷ୍ପାଞ୍ଜଳି ।

ସିଂହ ଭୂପଙ୍କର ସ୍ୱର୍ଣ୍ଣଜରିମୟ

ଶୁଭ୍ର କୀର୍ତ୍ତିଧ୍ୱଜ ଧରି,

ସ୍ୱର୍ଣ୍ଣମୟୀ ସ୍ୱର୍ଣ୍ଣ ରେଖା ଆସିଥିଲା

ଘେନିବହୁ ସହଚାରୀ ।

ବୈତରଣୀ ରମ୍ୟ କାନନ କୁସୁମ

କରିଥିଲା ଆଭରଣ,

ବାସ ଲୋଭେ ତାକୁ ଭୃଙ୍ଗରୂପେ ବଢ଼ି

ଥିଲେ ଦେବଦେବୀଗଣ ।

ଭାର୍ଗବୀ ବିରୂପା ଦୟା ରତ୍ନଚିରା

ଆଦି ତରଙ୍ଗିଣୀଶ୍ରେଣୀ,

ଚମ୍ପା ଛୁରିଅନା ପୁନ୍ନାଗ ବିବିଧ

ପୁଷ୍ପେ ମଣ୍ଡିଥିଲେ ବେଣୀ ।

ଉତ୍ସବ-ଦର୍ଶନ ଛଳେ ଦୂରେ ମନେ

ମନେ ନାଚୁଥିଲା ‘ଇବ’,

ସୁନ୍ଦର ଶ୍ୟାମଳ ଝିନ ବସନରେ

ଘୋଡ଼ାଇ ମୁଖରାଜୀବ

‘ଅଙ୍ଗ’ ଧାଇଁଥିଲା ନୃତ୍ୟମଣ୍ଡଳୀକି

ଚିତ୍ରୋତ୍ପଳା କଲା ମନା,

କର୍ଣ୍ଣେ ମୁଖ ଦେଇ କହିଦେଲା ହୋଇ-

ନାହୁଁ ନୃତ୍ୟବିକ୍ଷଣା ।

ଅଲକ୍ଷରେ ‘ତେଲ’ ଥାଇ ନ ପାଇଲା

ଲାସ୍ୟ-ବିଳାସିନୀ ଯଶ;

କିନ୍ତୁ ହୃଦୟରେ ବହୁଥିଲା ତାର

ମଧୁର ସଙ୍ଗୀତରସ ।

ଖଡ଼ିଆଳପତି ବ୍ରଜରାଜଙ୍କର

ସଙ୍ଗୀତ ଲଳିତ ରାଗେ,

ଗାଉଥିଲେ ବେନି କଲ୍ଲୋଳିନୀ ‘ତେଲ’

‘ଚିତ୍ରୋତ୍ପଳା’ ପଛଭାଗେ ।

ଖଡ଼ିଆଳ ବନ ସୁମନସ୍ତବକେ

ଶୋଭୁଥିଲା ତାଙ୍କ ଖୋଷା,

ଜନମନ ଟାଣି ନେଉଥିଲେ ଫୁଲ-

ବାସେ ସେହି ବେନି ଯୋଷା ।

ଋଷିକୁଲ୍ୟା ସୁଧା ମଧୁର ସଙ୍ଗୀତ

ତୈଳଙ୍ଗ ଭଙ୍ଗିରେ ଗାଇ,

କବି-ରବିଙ୍କର ରାଗେ ଦେଲା ତହିଁ

ସଭିଙ୍କ ମନ ରଞ୍ଜାଇ ।

ଜିରା ଦନ୍ତା, ଝାଉଁ ରାଞ୍ଜ, କୁଲିଆରୀ

ଉତ୍ସବେ ହୋଇ ଯାତ୍ରିକ,

ନିଜ ଦଳ ମଧ୍ୟେ କରୁଥିଲେ ମୋଦେ

ମନୋହର ତୌର୍ଯ୍ରତ୍ରିକ ।

ଭେଡ଼ନ ମାଳତୀ ଅଣଶିକା ଘୋଷଳୀ

ସହିତ ମିଳି ଉତ୍ତାଳୀ,

ସରଳ ତରଳ ଗୀତ ଗାଇ ମୁଦେ

ମାରୁଥିଲେ କରତାଳି ।

ଅଲକ୍ଷ୍ୟରେ ଖରେ ଆସି ସେ ପାଖରେ

ନୃତ୍ୟ କଲା ‘ଖରଖରୀ’,

ସସାଗର ସଲିଳେ ଆଦ୍ର ଅଭିଷେକ

କଲେ ଲୋକନାଥ ଶମ୍ଭୁ ।

ତା’ ପରେ ସହସ୍ର ଧୀରେ ଅଭିଷେକ

କଲେ ନରସିଂହ ନାଥ,

ଢାଳିଲେ ସଲିଳ କ୍ରମେ ଖଣ୍ଡାଧାର

ପ୍ରଧାନପାଟ ପ୍ରପାତ ।

କଲେ ଅଭଷେକ ମହେଶ୍ୱର ନାଥ

‘କୋଇଲି ଘୋଘର’ ଜଳେ,

ସେ ସ୍ୱଚ୍ଛ ସଲିଳ ନିପତିତ ହେଲା

‘କୋଡ଼ାବଗାଭୂମି’ ତଳେ ।

ଢାଳିଲେ ସଲିଳ ରମଣୀୟ ବେଶ

ସପତମାତୃକା ଆସି,

ଅଗଣିତ ଦେବ ଦେବୀ ତହିଁ ପଛେ

ହୃଦମୁଦ ପରକାଶି ।

ଚିହ୍ନିଲେ ତହିଁରେ ଲଲାଟ ଭୂଷଣ

ହୀରାଖଣ୍ଡ ଲକ୍ଷ୍ୟ କରି,

ଥିଲେ ସମଲାଈ ମନ୍ଦାର-ମଣ୍ଡିତ

ଲୋହିତ ପାଟ ପହରି ।

ସମଲାଈ ଦେଲେ ରାଜରାଜେଶ୍ୱରୀ

ଲଲାଟେ ସୁନ୍ଦୂର ବିନ୍ଦୁ,

ବିନ୍ଦୁ ଯୋଗେ ହେଲା ଶ୍ରୀମୁଖେ ଶୋଭିତ

ବାଳସୂର୍ଯ୍ୟେ ଯଥା ସିନ୍ଧୁ ।

ମରାଳମାଳିକା ଚିଲିକା ମୁକୁତା-

ମାଳ ଗୁନ୍ଥି କଉଶଳେ,

ଥୋଇଥିଲା, ଅତି ଯତନେ ଲମ୍ବାଇ

ଦେଲା ଆସି ଦେବୀ ଗଳେ ।

କାରଣ୍ଡବ କଣ୍ଠେ ହୁଳୁହୁଳି ଦେଇ

ଲକ୍ଷ୍ୟ ଶତଦଳମାଳା,

ଦେବୀଙ୍କ ହୃଦୟେ ଭକ୍ତିଭରେ ଦେଲା

ତା’ ପଛେ ଅଂଶୁପା-ବାଳା ।

‘ଗନ୍ଧଗିରି’ ଦେଲା ସୌରଭପୂରିତ

ନାଗେଶ୍ୱର ପୁଷ୍ପାଞ୍ଜଳି,

ଆମୋଦିତ ହୋଇ ଗଲା ତା ସୌରଭେ

ରମ୍ୟ ଅଭିଷେକସ୍ଥଳୀ ।

ଭୂଷଣପ୍ରଭାରେ ଦିଗ ଦୀପ୍ତ କରି

ଯାଇଥିଲେ ସୁରେଶ୍ୱରୀ,

ନୀରାଜନା କଲେ କରପଲ୍ଲବରେ

ସୁବର୍ଣ୍ଣ ପ୍ରଦୀପ ଧରି ।

‘ପଦ୍ମାସନୀ’ ଚନ୍ଦ୍ର ଆସନୀ ଉଭୟେ

ଉଭାହୋଇଥିଲେ ଆଗେ,

ସ୍ତବପାଠ କଲେ ଭକତିପୂରିତ

ଲଳିତ ମଧୁର ରାଗେ ।

ସ୍ୱଚ୍ଛନୀର ସର ଭୂଷା ଇନ୍ଦୀବର-

ଭୂଷିତ ‘କେଦାରନାଥ’ ,

‘ଜୟ ଳକ୍ଷ୍ମୀ’ ନାଦ ଉଚ୍ଚାରିଲେ ଟେକି

ତ୍ରିଶୂଳଶୋଭିତ ହାତ ।

ବ୍ୟାସ ପରାଶର ଗୌତମ ଭାର୍ଗବ

ସହିତ ମୁନୀନ୍ଦ୍ରଗଣ,

ଆସି ଉଚ୍ଚସ୍ୱରେ ‘‘ ଜୟ ଉତ୍କଳ-

ଲକ୍ଷ୍ମୀ’’ କଲେ ଉଚ୍ଚାରଣ ।

ଅଶୋକ ପରଶ ନାଥ ବାନା ଧରି

ବୌଦ୍ଧ ଜୈନ ଦଳ ଦଳ,

ଉଚ୍ଚସ୍ୱରେ ‘ଜୟ ଲକ୍ଷ୍ମୀ’ ନାଦେ ଦେଲେ

କମ୍ପାଇ ନଭୋମଣ୍ଡଳ ।

ବିବିଧ ଆକାରେ ଚିତା କାଟି ଶିରେ

ବୈଷ୍ଣବମଣ୍ଡଳୀ କାହିଁ,

ଖୋଳ କରତାଳ ନାଦେ ହୋଇ ସେହି

‘ଜୟ ଜୟ ଲକ୍ଷ୍ମୀ’ ଗାଇ ।

ଦିଗ ଆମୋଦିତ କଲା ହୋଇ ସେହି

ସମୟେ କୁସୁମବୃଷ୍ଟି,

କାହୁଁ ଆସୁଅଛି କୁସୁମ ବୋଲି ମୁଁ

ଗଗନକୁ ଦେଲି ଦୃଷ୍ଟି ।

ଦେଖିଲି ପ୍ରଫୁଲ୍ଲ ଧବଳ କୁସୁମ-

ରଚିତ ବହୁ ବିମାନ,

ଶାରଦ ଜୀମୂତ ପ୍ରାୟେ ହେଉଛନ୍ତି

ଗଗନେ ଉଡ୍‌ଡୀୟମାନ ।

ବମାନ ମଧ୍ୟରେ ଜ୍ୟୋତିର୍ମୟ ବପୁ

ଜଣେ ଜଣେ ବସିଛନ୍ତି,

ଦିଶନ୍ତି ଯେସନେ ଘନ କୋଳେ ସ୍ଥିର

ହୋଇଅଛି ଐରାବତୀ ।

ବିମାନ ମସ୍ତକେ ଲେଖା ହୋଇଅଛି

ବି ରଳ ବୃହତ ବର୍ଣ୍ଣେ,

ଲିପିମାଳା କିବା ଗଢ଼ ହୋଇଅଛି

ବିଶୁଦ୍ଧ ଖନିଜ ସ୍ୱର୍ଣ୍ଣେ ।

‘ଜଗନ୍ନାଥ ଦାସ’ ‘ବଳରାମ ଦାସ’

କରଣ ‘କୃଷ୍ଣଚରଣ ’,

ନାମ ଦେଖି ତହିଁ ଆନନ୍ଦେ ପ୍ରଫୁଲ୍ଲ

ହେଲା ମୋ ନୟନ ମନ ।

ପୁଣି ପାଠ କରି ‘ରାଜା କୃଷ୍ଣସିଂହ’

ମୁନୀଦ୍ର ‘ସାରଳା ଦାସ’,

‘ଦୀନକୃଷ୍ଣ ଦାସ’ ‘ଉପଇନ୍ଦ୍ର ଭଞ୍ଜ’

ନାମ ହେଲା ସୁପ୍ରକାଶ ।

କରଣୀ ଅକ୍ଷରେ ଥିଲା ‘ଅଭିମନ୍ୟୁ

ସାମନ୍ତ-ସିଂହାର’ ନାମ,

କେତନେ ଅଙ୍କିତ ହୋଇଥିଲା ତାଙ୍କ

ଯୁଗ୍ମ ମୂର୍ତ୍ତି ରାଧା-ଶ୍ୟାମ ।

ବହୁ ରଥ ଥିଲା ଚିହ୍ନିବାକୁ ସବୁ

ହେଉଥିଲି ତରତର

ରୁଦ୍ଧ କରଦେଲା ନୟନଯୁଗଳ

ଆନନ୍ଦ ଲୋତକଝର ।

ଦସେ ଝରେ ପ୍ଳାବିତ ହେଲା ବକ୍ଷସ୍ଥଳ

ପ୍ରାଣ ହେଲା ପୁଲକିତ,

ମନେ ହେଲା ତହିଁ ନଖୁ ନାକଯାଏ

ହୋଇଅଛି ନିମଜ୍ଜିତ ।